Unknown

 

 

 

 

 

 

 

 

 

 

ଭକ୍ତ ସାଲବେଗଙ୍କ ପ୍ରାର୍ଥନା

ଭକ୍ତ ସାଲବେଗ

 

ଆହେ ରାମ ହରି

 

ଆହେ ରାମହରି !

ପ୍ରଭୁ ବିଜେ କରିଅଛ ନୀଳଗିରି ।

ପ୍ରଭୁ ଦର୍ଶନ ମାତ୍ରକେ ଯିବି ତରି ।।

 

ପ୍ରବେଶ ହୋଇଲି ବଡ଼ଦାଣ୍ଡ ।

ଚରଣ ଧୂଳିଲେ ପୂରିଲା ତୁଣ୍ଡ ।।

ଦାଣ୍ଡରେ ବସିଛି କୈବଲ୍ୟ ପସରା

ଟଙ୍କ ତୋରାଣିରେ ମନ ତୋଷ ।୧।

 

ଧନ୍ୟ ପୁରସ୍ତମ କ୍ଷେତ୍ରବାସୀ ।

ଭାଗ୍ୟ ଥିଲେ ସାଧୁ ସଙ୍ଗେ ମିଶି ।।

ଗ୍ରାସ ପୂରାଇଣ କୈବଲ୍ୟ ପାଆନ୍ତି

ମିଛେ ବୋଲୁଥାନ୍ତି ଏକାଦଶୀ ।୨।

 

ସିଂହଦ୍ୱାରଠାରେ ବେତବାଡ଼ି ।

ବାଜିଲେ ପାତକ ଯାଏ ଛାଡ଼ି ।।

ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ

ସାଧୁଜନମାନେ ଠେଲାଠେଲି ।୩।

 

ବାଇଶି ପାବଚ୍ଛ ଗଲି ସୁଖେ ।

କୈବଲ୍ୟ ବସିଛି ବେନି ପାଖେ ।।

ବ୍ରାହ୍ମଣ କ୍ଷତ୍ରୀୟ ଶୁଦ୍ର ଚାରିବର୍ଣ୍ଣ

କୈବଲ୍ୟ ଦିଅନ୍ତି ମୁଖେ ମୁଖେ ।୪।

 

ରୋହିଣୀ କୁଣ୍ଡର ପାଦରଜ ।

ସିଂହ ମାଡ଼ି ବସିଅଛି ଗଜ ।।

ସତେ କି ଜୀବନ ସଫଳ ହୋଇବ

କାକ ପଡ଼ି ହେଲା ଚତୁର୍ଭୁଜ ।୫।

 

ଗରୁଡ଼ ପାଖରେ ରହି ଦେଖ ।

କି ଶୋଭା ପାଉଛି ପଦ୍ମମୁଖ ।।

ହୀରା ନୀଳା ମୋତି ମାଣିକ୍ୟ ଜଳୁଛି

ହୃଦେ ଲମ୍ବିଅଛି ବ୍ୟାଘ୍ରନଖ ।୬।

 

ସଳଖ ସୁନ୍ଦର ବଡ଼ଦାଣ୍ଡ ।

ନବକୋଟି ଲୋକ ତହିଁ ରୁଣ୍ଡ ।।

ଦର୍ଶନ ମାତ୍ରକେ ପାପକ୍ଷୟ ଯିବ

ପାପାଧି ପାତକ ହୋଇ ଖଣ୍ଡ ।୭।

 

ସିଂହଦ୍ୱାର ଆଗେ ତିନିରଥ ।

ପାଟପତନୀରେ ମଣ୍ଡେ ନେତ ।।

ଆଗେ ବଳଭଦ୍ର ମଝିରେ ସୁଭଦ୍ରା

ପଛେ ବିଜେ କଲେ ଜଗନ୍ନାଥ ।୮।

 

କହେ ସାଲବେଗ ମୂଢ଼ମତି ।

ତ୍ରାହି କରିବେ ଶ୍ରୀ ଲକ୍ଷ୍ମୀପତି ।।

ଶ୍ରୀରଙ୍ଗା ଚରଣେ ପଶୁଛି ଶରଣ

ତ୍ରାହି କର ଶାଳଗ୍ରାମ ମୂର୍ତ୍ତି ।୯।

 

ଆହେ ନୀଳ ଶଇଳ

 

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ।

ମୋ ଆରତ ନଳିନୀବନକୁ କର ଦଳନ ।୧।

 

ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ।

ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ।୨।

 

ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ ।

କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ।୩।

 

କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ ।

କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ।୪।

 

ରାବଣର ଭାଇ ବିଭୀଷଣ ଗଲା ଶରଣ ।

ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ।୫।

 

ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ।

ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ।୬।

 

 

କହେ ସାଲବେଗ ହୀନ ଜାତିରେ ମୁଁ ଯବନ ।

ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ।୭।

 

ଆହେ ନୀଳଗିରି

 

ଆହେ ନୀଳଗିରି !

ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି ।ଘୋଷା।

 

ତୁଳସୀ ଚଉରା ପାଶେ ଜଗି

ବସି ଧ୍ୟାଉଛନ୍ତି କେତେ ଯୋଗୀ,

ବ୍ୟାଘ୍ରଚର୍ମ ପାରି ସ୍ତୁତି କରୁଛନ୍ତି,

ଜପୁଛନ୍ତି ନାମ ସଂଖ୍ୟା କରି ।୧।

 

ବଡଦାଣ୍ଡ ଦେଖି ହେଲି ତୋଷ,

ରେଣୁମାତ୍ର ତେଣୁ କଲି ଗ୍ରାସ,

କ୍ଷୀରୀ ଖେଚଡ଼ିରେ ମନ ନ ବୋଧଇ

ଟଙ୍କ ତୋରାଣିରେ ମନ ତୋଷ ।୨।

 

ସିଂହଦ୍ୱାରେ ପଡ଼େ ବେତବାଡ଼ି,

ବାଜନ୍ତେ ପାତକ ଯାଏ ଛାଡ଼ି,

ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମିତ୍ତେ

ଏକକୁ ଆରେକ ହୁଡ଼ାହୁଡ଼ି ।୩।

 

 

ବାଇଶି ପାବଚ୍ଛ ଗଲି ସୁଖେ,

କୈବଲ୍ୟ ପସରା ବେନି ପାଖେ,

ଚାଣ୍ଡାଳୁ ବ୍ରାହ୍ମଣ ଶୂଦ୍ର ପରିଯନ୍ତେ

କୈବଲ୍ୟ ଭୁଞ୍ଜନ୍ତି ମୁଖେ ମୁଖେ ।୪।

 

ରୋହିଣୀ ପାଦୁକା କୁଣ୍ଡରଜ,

ସିଂହ ମାଡ଼ି ବସିଅଛି ଗଜ,

ସତେ କି ଏ ଜନ୍ମ ସୁଫଳ ଲଭିବ

କାକ ପଡ଼ି ହେଲା ଚତୁର୍ଭୁଜ ।୫।

 

ରହି ଗରୁଡ଼ ପଛରେ ଦେଖ

କି ଶୋଭା ପାଉଛି ପଦ୍ମମୁଖ,

ହୀରା ନୀଳା ମୋତି ମାଣିକ୍ୟ ଜଳୁଛି

ହୃଦେ ଲମ୍ବିଅଛି ହୀରାନେକ ।୬।

 

ଶ୍ରୀଜଗନ୍ନାଥଙ୍କ ଠାକୁରାଣୀ

ସୁବର୍ଣ୍ଣ ଥାଳିରେ ଅର୍ଘ୍ୟ ଆଣି,

କଳପବଟକୁ ପ୍ରଦକ୍ଷିଣ କଲେ

ସାଧୁସନ୍ଥ ଦେଲେ ହରିଧ୍ୱନି ।୭।

 

 

କହେ ସାଲବେଗ ହୀନ ଜାତି

ଶ୍ରୀରଙ୍ଗାଚରଣେ ରହୁ ମତି,

ଶ୍ରୀଜଗନ୍ନାଥଙ୍କୁ ଜଣାଣ କରୁଛି,

ବାରେ ଦୟାକର ଲକ୍ଷ୍ମୀପତି ।୮।